ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ

ଛାତ୍ର ଙ୍କ ଅପେକ୍ଷା ଛାତ୍ରୀଙ୍କ ପାସ ହାର ଅଧିକ

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ

ଭୁବନେଶ୍ୱର  : ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ । କଟକ ସ୍ଥିତ ମାଧ୍ୟମିକ ଶିକ୍ଷା ପରିଷଦର ମୁଖ୍ୟ କାର୍ଯ୍ୟାଳୟରେ ପ୍ରକାଶ ପାଇଛି ରେଜଲ୍ଟ । ଚଳିତ ବର୍ଷ ପାସ୍‌ ହାର ୯୬.୦୭ ପ୍ରତିଶତ ରହିଛି । ତେବେ ପୁଅଙ୍କ ଅପେକ୍ଷା ଚଳିତ ବର୍ଷ ଝିଅଙ୍କ ପାସ୍‌ ହାର ଅଧିକ ରହିଛି ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ଚଳିତ ବର୍ଷ ପ୍ରକାଶ ପାଇଥିବା ରେଜଲ୍ଟରେ ଝିଅଙ୍କ ପାସ୍ ହାର ୯୬.୭୩% ରହିଥିବା ବେଳେ ପୁଅଙ୍କ ପାସ୍‌ ହାର ୯୫.୩୯% । ରାଜ୍ୟର ୨୬୪୪ ଟି ସ୍କୁଲରେ ଶତ ପ୍ରତିଶତ ରେଜଲ୍ଟ ହୋଇଥିବା ବେଳେ ଶୁନ ରେଜଲ୍ଟ କୌଣସି ସ୍କୁଲରେ ନାହିଁ। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରେ ୯୭.୯୮ % ରେଜଲ୍ଟ ହୋଇଥିବା ବେଳେ ନୂଆପଡ଼ା ଜିଲ୍ଲାରେ ସର୍ବନିମ୍ନ ୯୩.୯୧% ରେଜଲ୍ଟ ହୋଇଛି। ରାଜ୍ୟର ସମସ୍ତ ଜିଲ୍ଲାରେ ୯୩ ପ୍ରତିଶତରୁ ଅଧିକ ରେଜଲ୍ଟ ହୋଇଛି। ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାରେ ମୋଟ ୫ ଲକ୍ଷ ୪୧ ହଜାର ୬୧ ଜଣ ପରୀକ୍ଷା ଦେଇଥିଲେ । ସେଥି ମଧ୍ୟରୁ ପାସ୍‌ ୫ ଲକ୍ଷ ୩୦ ହଜାର ୧୫୩ ଜଣ ଛାତ୍ରଛାତ୍ରୀ କରିଛନ୍ତି । ୨୪୩ ଜଣ କପି କରି ଧରା ପଡିଛନ୍ତି। ସେହିପରି ମୁକ୍ତ ବିଦ୍ୟାଳୟ ପରୀକ୍ଷାରେ ୬୪୫୭ ଜଣ ପରୀକ୍ଷା ଦେଇଥିବା ବେଳେ ୧୧ ଜଣ କପି କରି ଧରା ପଡ଼ିଥିଲେ। ୩୮୪୪ ଜଣ ପାସ କରିଥିବା ବେଳେ ପାସ ହାର ୫୯.୮୮ ପ୍ରତିଶତ ରହିଛି। ମଧ୍ୟମା ପରୀକ୍ଷାରେ ୩୨୫୨ ଜଣ ପରୀକ୍ଷା ଦେଇଥିବା ବେଳେ କପି କରି ୩ ଜଣ ଧରା ପଡ଼ିଥିଲେ। ମଧ୍ୟମାରେ ୩୧୯୧ ଜଣ ପାସ କରିଥିବା ବେଳେ ପାସ ହାର ରହିଛି ୯୮.୧୨ ପ୍ରତିଶତ। ବୋର୍ଡର ୱେବସାଇଟ୍ www.bseodisha.ac.in ରେ ଉପଲବ୍ଧ ହେଉଛି ରେଜଲ୍ଟ। ଏସଏମଏସ ଜରିଆରେ ମଧ୍ୟ ପରୀକ୍ଷାର୍ଥୀ ରେଜଲ୍ଟ ଜାଣି ହେଉଛି । ସେଥିଲାଗି OR10 ସ୍ପେସ୍ ନିଜ ରୋଲ ନମ୍ବର ଲେଖି 5676750କୁ ସେଣ୍ଡ କଲେ ରେଜଲ୍ଟ ମିଳୁଛି। ଅପରାହ୍ଣ ୪ଟାରୁ କୃତ୍ତି ଛାତ୍ରଛାତ୍ରୀ ସେମାନଙ୍କ ଡିଜିଟାଲ ସାର୍ଟିଫିକେଟ୍ ଡାଉନଲୋଡ କରିପାରିବେ। ହ୍ବାର୍ଟସଆପ୍ ମାଧ୍ୟମରେ ଡିଜିଟାଲ ସାର୍ଟିଫିକେଟ ପାଇବାକୁ 7710058192କୁ BSE/ Hi ଲେଖି ପଠାଇବାକୁ ପଡିବ। ଏହାପରେ ଆସୁଥିବା ବାର୍ତ୍ତାକୁ ଅନୁକରଣ କରି ଡିଜିଟାଲ ସାର୍ଟିଫିକେଟ ପାଇ ହେବ। ଏହା ବ୍ୟତୀତ ୱେବସାଇଟ www.bseodisha.ac.in ରେ ଡିଜିଟାଲ ସାର୍ଟିଫିକେଟ ଉପଲବ୍ଧ ହେବ।ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ଫେବୃୟାରୀ ୨୦ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୪ରେ ଶେଷ ହୋଇଥିଲା। ଏଥର ପରୀକ୍ଷା ଦେଇଥିଲେ ୫ ଲକ୍ଷ ୫୧ ହଜାର ୬୧୧ ପରୀକ୍ଷାର୍ଥୀ । ପରୀକ୍ଷା ଫଳକୁ ନେଇ ଯଦି କୌଣସି ଦ୍ବନ୍ଦ୍ବ ରୁହେ ତେବେ ମେ’ ୨୯ରୁ ଜୁନ୍ ୧୨ ତାରିଖ ମଧ୍ୟରେ ରି ଚେକିଂ ଆଡିସନ ପାଇଁ ଅବେଦନ କରାଯାଇପାରିବ। ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାର୍ଥୀ କେବଳ ଅନଲାଇନ୍ ଜରିଆରେ ହିଁ ରିଚେକିଂ ପାଇଁ ଆବେଦନ କରିବେ। ମଧ୍ୟମା ଓ ମୁକ୍ତ ବିଦ୍ୟାଳୟ ପରୀକ୍ଷାର୍ଥୀ ଅଫଲାଇନ ମାଧ୍ୟମରେ ବୋର୍ଡର ମୁଖ୍ୟ କାର୍ଯ୍ୟାଳୟ କିମ୍ବା ଜୋନ କାର୍ଯ୍ୟାଳୟରେ ଆବେଦନ କରି ପାରିବେ। ପରୀକ୍ଷାର୍ଥୀଙ୍କର ରେଜଲ୍ଟ ନେଇ କୌଣସି ସନ୍ଦେହ ହେଲେ ସେମାନେ ବୋର୍ଡର କଣ୍ଟ୍ରୋଲ ରୁମକୁ ଯୋଗାଯୋଗ କରି ପାରିବେ। ଏଥିପାଇଁ କଣ୍ଟ୍ରୋଲ ରୁମ ନମ୍ବର 9938415511/ 9827674630/ 9437228187/ 8763446292 ଯୋଗାଯୋଗ କରି ପାରିବେ। ହାଇସ୍କୁଲ ସପ୍ଲିମେଣ୍ଟାରୀ ଓ ମୁକ୍ତ ବିଦ୍ୟାଳୟର ଦ୍ୱିତୀୟ ପରୀକ୍ଷା ପାଇଁ ଜୁନ ୧୦ ରୁ ଅନଲାଇନରେ ଫର୍ମ ପୂରଣ ଆବେଦନ କରି ପାରିବେ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।